ଏକ ଛୋଟ ଚିନ୍ତାଧାରା(Idea) ପୁରା ଦୁନିଆ ବଦଳାଇପରେ, ଆଜି ଆମେ ଜାଣିବା ସେହିପରି ଏକ ବୃହତ୍ତ ଏବଂ ଲାଭଦାୟକ ଚିନ୍ତାଧାରା ହାଇପରଲୁପ(Hyperloop) ବିଷୟରେ | ବର୍ତ୍ତମାନ, ସମୟର ମୂଲ୍ୟ ବଢ଼ିବାରେ ଲାଗିଛି ତେଣୁ ଯାତ୍ରା(Travel) ଏବଂ ଟ୍ରାଫିକ ଦ୍ଵାରା ସମୟ ନଷ୍ଟରୁ ରକ୍ଷାକରିବା ପାଇଁ ବହୁ ବିକଳ୍ପ ବାହାରୁଛି | ସେଥିପାଇଁ ତ ଆଜି ଆମେ ଶଗଡ଼ରୁ ଉଡ଼ାଜାହାଜ ପର୍ଯ୍ୟନ୍ତ ପହଞ୍ଚିଛନ୍ତି | ଆଉ ଏହା ପରର ବିକଳ୍ପ ହେଉଛି ହାଇପରଲୁପ(Hyperloop) | ଏହି ଟେକ୍ନୋଲୋଜି ନୂତନ ଏବଂ ରୋମାଞ୍ଚକର ଅଟେ | ଏହା ବିଷୟରେ ସମ୍ପୂର୍ଣ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହା କିପରି ସମ୍ଭବ ହୋଇପାରିବ, ଯାହା ଗମନାଗମନର ସଜ୍ଞା ପରିବର୍ତନ କରିପାରିବ | ଅର୍ଥାତ ଏହା ବୁଲେଟ ଟ୍ରେନଠାରୁ ବହୁଗୁଣ ଦ୍ରୁତଗତିରେ ଯାତ୍ରାକରିବ | ଆସନ୍ତୁ ଜାଣିବା ଏହି ଟେକ୍ନୋଲୋଜି ବିଷୟରେ ସମ୍ପୂର୍ଣ ତଥ୍ୟ |
ହାଇପରଲୁପ(Hyperloop) କ’ଣ ?
ହାଇପରଲୁପ ଏପରି ଏକ ଟେକ୍ନୋଲୋଜି ଯାହା ସବୁପ୍ରକାରର ପରିବହନର ସମସ୍ୟାକୁ ସମାଧାନ କରିଥାଏ, ଯାହା ଦ୍ୱାରା ପରିବହନର ବେଗ(Speed) କମିଯାଇଥାଏ ଏବଂ ଏହି ଦୁଇ ସମସ୍ୟା ହେଲା ଘର୍ଷଣ(Friction) ଏବଂ ବାୟୁ ପ୍ରତିରୋଧ(Air Resistance) | ଅର୍ଥାତ ଏହି ଟେକ୍ନୋଲୋଜି ଦ୍ୱାରା ଘର୍ଷଣ(Friction)ଏବଂ ବାୟୁ ପ୍ରତିରୋଧ(Air Resistance)ର ସମସ୍ୟା ଦୂର ହେବ ଫଳରେ ଅଧିକତମ ଗତି ବା ସୁପର ସ୍ପୀଡ଼ରେ ଯାତ୍ରା କରିହେବ | ହାଇପରଲୁପ ଟେକ୍ନୋଲୋଜିରେ ଏକ ଲମ୍ବା ଭାକ୍ୟୁମ୍ ଟ୍ୟୁବ୍(Vacuum tube) ଏବଂ କ୍ୟାପସୁଲ୍(capsule) ଭଳି ବିଭାଗ(Compartment) ଥାଏ, ଯାହାକୁ ପୋଡ(Pod) କୁହାଯାଏ | ଏହି ପଡ(Pod) ଭାକ୍ୟୁମ୍ ଟ୍ୟୁବ୍(Vacuum tube)ରେ ଦ୍ରୁତ ଗତିରେ ଯାଇଥାଏ |ଏହି ଟ୍ୟୁବ୍କୁ ଲୁପ(Loop) କୁହାଯାଏ | ଏହି ଟେକ୍ନୋଲୋଜିରେ ଲୁପ(Loop) ଦ୍ୱାରା ଯାତ୍ରା ବା ପରିବହନ କରାଯାଏ , ତେଣୁ ଏହି ଟେକ୍ନୋଲୋଜିକୁ ହାଇପରଲୁପ(Hyperloop) କୁହାଯାଏ |ଅନୁଭବ କରନ୍ତୁ ଯେ ଆପଣ ଏକ ଷ୍ଟିଲ ନିର୍ମିତ ଭାକ୍ୟୁମ୍ ଟ୍ୟୁବ୍(Vacuum tube)ରେ ଅଛନ୍ତି ଏବଂ ସୁପର ଫାଷ୍ଟ ଗତିରେ ଏକ ଲୁପରେ ଯାତ୍ରା କରୁଛନ୍ତି । ଏହାକୁ ଚିନ୍ତା କରିଲେ ମଧ୍ୟ ଏହା ଆଶ୍ଚର୍ଯ୍ୟ ଲଗେ, କାରଣ ଆପଣ କେବଳ ଗବେଷଣାଗାରରେ ଭାକ୍ୟୁମ୍ ତିଆରି ହେବାର ଦେଖିଥିବେ । ଭାକ୍ୟୁମ୍ ଅର୍ଥାତ୍ ଖାଲି ବା ଶୂନ୍ୟ । ଭାକ୍ୟୁମ୍ ଟ୍ୟୁବ୍(Vacuum tube) ଅର୍ଥାତ୍ ବାୟୁ ନଥିବା ଟ୍ୟୁବ୍ । ଏହି ଟେକ୍ନୋଲୋଜିରେ ଆପଣ ଯେଉ ପୋଡ(Pod)ରେ ଯାତ୍ରା କରିବେ, ସେଠାରେ ବହୁତ୍ କମ୍ ବାୟୁ ଥିବ । ଏହି ଭାକ୍ୟୁମ୍ ଟ୍ୟୁବ୍ରୁ ପୁରା ବାୟୁ ବାହାର କରାଯାଏ ନାହିଁ, କେବଳ ଅଳ୍ପ ବାୟୁ ରଖାଯାଏ । ବାୟୁ କମ୍ ହେବା ଫଳରେ ଘର୍ଷଣ(Friction) କମ୍ ହୋଇଯାଇଥାଏ । ଏବଂ ଗତି ବଢ଼ାଇବା ପାଇଁ ଶକ୍ତି ମଧ୍ୟ କମ୍ ଉପଯୋଗ ହୋଇଥାଏ ।
ହାଇପରଲୁପ(Hyperloop) କାମ କିପରି କରିଥାଏ:
ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ ଏକ ଟ୍ୟୁବ୍ ର ଉପଯୋଗ କରାଯାଏ । ଏହି ଟ୍ୟୁବ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଲମ୍ବିଥାଏ ଏବଂ ଏହାକୁ ପିଲର(Pillar) ଦ୍ଵାରା ସ୍ଥିର ଭାବରେ ରଖାଯାଏ । ଏହି ଟ୍ୟୁବରେ ଛୋଟ ଛୋଟ ପୋଡ(Pod) ଦ୍ବାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିପାରିବେ । ଏଥିରେ ଦୁଇ ପ୍ରକାରର ଟେକ୍ନୋଲୋଜିର ଉପଯୋଗ କରାଯାଏ । ଚୁମ୍ବକୀୟ ଉତ୍ତୋଳନ(Magnetic Levitation) ଏବଂ ବାୟୁ ଚାପ( Air Pressure) । ଏହା ଦ୍ଵାରା ପୋଡ(Pod) ଏବଂ ଟ୍ୟୁବ ମଧ୍ୟରେ ଘର୍ଷଣ(Friction) ହୋଇନଥାଏ । ତେଣୁ ପୋଡ(Pod)ର ଗତି ବହୁତ୍ ଅଧିକ ହୋଇଥାଏ ଏବଂ ହାଇପରଲୁପ(Hyperloop) ପ୍ରାୟ ୧୨୦୦ କିଲୋ ମିଟର ପ୍ରତି ଘଣ୍ଟା ଗତି କରିପରେ । ଏହା ଶବ୍ଦର ବେଗ ସଂଗେ ସମାନ ହୋଇଥାଏ | ଅର୍ଥାତ୍ ଏହା ଶବ୍ଦର ବେଗରେ ଯାତ୍ରା କରିଥାଏ ବା ଏହା ସୁପର ସ୍ପିଡ୍ ଯାତ୍ରାକୁ ପ୍ରୋତ୍ସାହନ ଦେଇଥାଏ । ଟ୍ୟୁବରେ ଚାଲୁଥିବା ପୋଡ(Pod)ରେ ଦୁଇ ପ୍ରକାରର ବଳ, ଚୁମ୍ବକୀୟ ଏବଂ ବାୟୁର ବଳ ପ୍ରୟାଗ ହୋଇଥାଏ । ଯିଏକି ପୋଡ(Pod)କୁ ଗତିକରିବା ସହ ହାୱାରେ ଉଠାଇ ରଖିବାରେ ସାହାର୍ଯ୍ୟ କରିଥାଏ ।
କିପରି ହାଇପରଲୁପ(Hyperloop) ଟେକ୍ନୋଲୋଜିର ଆରମ୍ଭ ହୋଇଥିଲା :
ଏହି ଚିନ୍ତାଧାରା ୨୦୦ ବର୍ଷ ପୁରୁଣା ଅଟେ । ୧୭୯୯ରେ ବ୍ରିଟିଶ ନିର୍ମାତା ଜର୍ଜ ମେଡହର୍ଷ୍ଟ(George Medhurst) ଗମନାଗମନ ପାଇଁ ଏକ ବାୟୁ ଅନୁପାତ ଟ୍ୟୁବ୍(Air Proportion tube) ପ୍ରସ୍ତାବ ରଖିଥିଲେ । ଏହାର ଏତେ ବର୍ଷପରେ ୨୦୧୩ରେ ଟେସଲା ମୋଟର୍ସ(Tesla Motors) ଏବଂ ସ୍ପେସ୍ ଏକ୍ସ(SpaceX)ର ସିଇଓ(CEO) ଏଲୋନ୍ ମସ୍କ(Elon Musk) ଏହାର ଉପସ୍ଥାପନ କରିଥିଲେ । ସେ ଏହାର ଡିଜାଇନ ମଧ୍ୟ ପ୍ରସ୍ତୁତ କରିଥିଲେ । ତାଙ୍କ ମତରେ ଏହା ଟ୍ରେନଠାରୁ ବହୁତ ଦୃତଗତିରେ ଯାତ୍ରା କରିବ, କାର ଠାରୁ ମଧ୍ୟ ସୁରକ୍ଷିତ ଅଟେ ଏବଂ ଉଡାଜାହାଜ ଠାରୁ ମଧ୍ୟ କମ୍ ପ୍ରଦୂଷଣ କାରି ଅଟେ । ତାଙ୍କର ଏହି ଚିନ୍ତାଧାରା(Idea) ଏବଂ ଟେକ୍ନୋଲୋଜିକୁ ଖୋଲାଖୋଲି ଭାବରେ ଅଂଶୀଦାର(Share) କରିଥିଲେ । ସେ ହାଇପରଲୁପ ଟେକ୍ନୋଲୋଜିର ବିକାଶ ପାଇଁ ସମସ୍ତଙ୍କୁ ଅଧିକାର ଦେଇଛନ୍ତି । ଯଦ୍ୱାରା ଏହି ଟେକ୍ନୋଲୋଜି ଖୁବ ଶୀଘ୍ର ଉପଯୋଗ ହୋଇପାରିବ । ଏଥିପାଇଁ ବହୁ କମ୍ପାନୀ ଯେପରି ଭର୍ଜିନ୍ ହାଇପରଲୋପ୍ ୱାନ୍(Virgin Hyperloop One), ଏଚଟିଟି(HTT), ଟ୍ରାନ୍ସପୋଡ୍(TransPod), ଏବଂ ଏରିଭୋ(Arrivo), ଏହି ଟେକ୍ନୋଲୋଜି ଉପରେ କାର୍ଯ୍ୟରତ । କେତେକ କମ୍ପାନୀ ଏହି ପ୍ରକଳ୍ପକୁ ୨୦୨୧ ସୁଦ୍ଧା ଆରମ୍ଭ କରିବାର ନିଷ୍ପତ୍ତି ନେଇଛନ୍ତି ।
ଏହି ଟେକ୍ନୋଲୋଜି ବହୁତ ପୁରୁଣା କିନ୍ତୁ ଏହାକୁ ଆହୁରି ଉନ୍ନତ ଏବଂ ସୁରକ୍ଷିତ କରିବାପାଇଁ ପ୍ରଚେଷ୍ଟା ଚାଲିଛି । ବର୍ତମାନ କିଛି ସ୍ଥାନରେ ଏହି ପ୍ରକଳ୍ପର ଆରମ୍ଭ କରାଯାଉଛି ଯେପରି ନିଉୟର୍କ ଠାରୁ ୱାଶିଂଟନ, ପୁନେ ଠାରୁ ମୁମ୍ବାଇ, କାନସାସ ସିଟି ଠାରୁ ସେଣ୍ଟ ଲୁଇସ୍, ବ୍ରାଟିଶ୍ଲାଭା ଠାରୁ ବ୍ରନ, ଏବଂ ବିଜୟୱାଡା ଠାରୁ ଅମରାବତୀ । ଏହାପରେ ଧୀରେ ଧୀରେ ଅନ୍ୟ ସ୍ଥାନ ମାନଙ୍କରେ ଆରମ୍ଭ ହେବ ।
ହାଇପରଲୁପ(Hyperloop) ଟେକ୍ନୋଲୋଜିର ଉପକାରିତା:
- ଏହା ଦ୍ଵାରା ଘଣ୍ଟାଘଣ୍ଟାର ଯାତ୍ରାକୁ କିଛି ମିନିଟରେ ଯାତ୍ରା କରିପାରିବେ ।
- ଏଥିରେ ଆପଣ ବସିବାପରେ ଗନ୍ତବ୍ୟସ୍ଥଳ ହିଁ ପହଞ୍ଚିବେ, କାରଣ ଏହା ଟ୍ରେନ ପରି ମଝିମଝିରେ ରହିବ ନାହିଁ ।
- ଏହାର କିଛି ଗମନାଗମନର ସୂଚୀ ବା ବିବରଣୀ ରହିବ ନାହିଁ । ଆପଣ ଯେତେବେଳେ ଚାହିଁବେ ସେତେବେଳେ ଯାଇପାରିବେ ।
- ଏଥିରେ ପରିବହନ ଖର୍ଚ୍ଚ କମ୍ ହୋଇଥାଏ ତେଣୁ ଆପଣଙ୍କ ଟିକେଟର ଦାମ୍ ମଧ୍ୟ ଅନ୍ୟ ଟ୍ରେନ ତୁଳନାରେ ବହୁତ୍ କମ୍ ରହିବ ।
- ଏହା ଭୂମିକମ୍ପ ଏବଂ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁରକ୍ଷିତ ରହିବ ।
- ଏହା ଦ୍ଵାରା କୌଣସି ପରିବେଶ ପ୍ରଦୂଷଣର ସମ୍ଭାବନା ରହିବ ନାହିଁ ।
ହାଇପରଲୁପ(Hyperloop) ଟେକ୍ନୋଲୋଜିର ଅପକାରିତା:
- ଏଥିରେ ସ୍ଥାନ କମ୍ ରହିବା ଫଳରେ, ଚଳପ୍ରଚଳ ହେବ ସମ୍ଭବ ନୁହେଁ ।
- ଏହାର ବେଗ ବହୁତ ଅଧିକ ଥିବାରୁ, ପ୍ରାରମ୍ଭରେ ଆପଣଙ୍କୁ ମୁଣ୍ଡ ବୁଲେଇବା ବା ମୁଣ୍ଡବ୍ୟଥା ଅନୁଭବ ହୋଇପାରେ ।
- ଏହି ପ୍ରକଳ୍ପ ପାଇଁ କିଛି ବୃକ୍ଷ କାଟିବାକୁ ପଡ଼ିବ ଯଦ୍ୱାରା ପରୋକ୍ଷରେ ପରିବେଶ ପ୍ରତି କ୍ଷତିକାରକ ।
ଏହି ଟେକ୍ନୋଲୋଜି କୁ ସମ୍ପୂର୍ଣ୍ଣ ଭାବରେ ଆରମ୍ଭ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖିନ ମଧ୍ୟ କରିବାକୁ ପଡ଼ିପାରେ । ଉନ୍ନତ ଭିତ୍ତିଭୂମିର ନିର୍ମାଣ ଏବଂ ତାପମାତ୍ରାରେ ପରିବର୍ତ୍ତନ ଦ୍ଵାରା ଟ୍ୟୁବ୍ ସଙ୍କୁଚିତ ବା ପ୍ରସାରିତ ହେବାର ଭୟ ମଧ୍ୟ ରହିଅଛି । ଏହିପରି କିଛି ସମସ୍ୟାର ସମାଧାନ ପରେ ଏବଂ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ପରେ, ମାନବ ଯାତ୍ରା ଉପରେ ଗୁରୁତ୍ଵ ଦିଆଯିବ ।